ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି




 ଝାରସୁଗୁଡ଼ା,ଜିଲ୍ଲାରେ ବଢୁଥିବା ତାପମାତ୍ରା ଓ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଡି.ଏମ୍.ଏଫ୍ ଅଡିଟୋରିୟମ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। 

ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ପଥିକ ଓ ସାଧାରଣ ଜନତାଙ୍କ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ମୋଟ ୪୯୨ଟି ଜଳଛତ୍ର ଖୋଲାଯିବ। ସେହିପରି ଜଳାଭାବ ଅନୁଭୂତ ହେଉଥିବା ୫୪୯ଟି ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୧୯୨ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ୭୭୭୭ଟି ନଳକୂପକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୱାଟକୋ ଅଧୀନରେ ଥିବା ୫୦୨ଟି ପ୍ରଡକ୍ସନ ୱେଲ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଜାରି ରହିଛି।

ବିଦ୍ୟୁତ ସେବାକୁ ବ୍ୟାହତ ନକରିବା ପାଇଁ ୧୩,୫୦୦ଟି ଟ୍ରାନ୍ସଫର୍ମର କାର୍ଯ୍ୟ କରୁଥିବା ବେଳେ ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର ବଦଳାଇବା ପାଇଁ ୭୦ଟି ଅତିରିକ୍ତ ଟ୍ରାନ୍ସଫର୍ମର ମହଜୁଦ ରଖାଯାଇଛି। ଶିଳ୍ପ ଓ ଖଣି ଅଞ୍ଚଳରେ ଶ୍ରମିକମାନଙ୍କ ପାଇଁ ୫୦ ରୁ ୧୦୦ ଜଣ କ୍ଷମତା ବିଶିଷ୍ଟ ଏସି କିମ୍ବା କୁଲର ଥିବା ବିଶ୍ରାମ ଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସକାଳ ୧୧:୦୦ ରୁ ଅପରାହ୍ନ ୪:୦୦ ପର୍ଯ୍ୟନ୍ତ ଭାରୀ ଯାନ ଲୋଡିଂ ଉପରେ କଟକଣା ଲଗାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତରଖାନାରେ ସ୍ୱତନ୍ତ୍ର 'ହୀଟ୍ ଷ୍ଟ୍ରୋକ ରୁମ୍' ପ୍ରସ୍ତୁତ କରାଯାଇଛି ଏବଂ ଅଙ୍ଗନବାଡ଼ି କର୍ମୀ ଓ ବିଦ୍ୟାଳୟଗୁଡ଼ିକୁ ପ୍ରର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ (ORS) ଯୋଗାଇ ଦିଆଯାଇଛି। ଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ସ୍କୁଲ ସମୟ ସକାଳ ୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁଙ୍କ ପାଇଁ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସାଳୟ ଖୋଲା ରଖିବା ସହ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ପରିବହନ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯାଇଛି; ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ RTO କଡ଼ା ନଜର ରଖିବେ ଏବଂ ବସରେ ଯାତ୍ରୀ ସଂଖ୍ୟା ସୀମିତ ରହିବା ସହ ପାଣି ଓ ORS ରଖିବା ବାଧ୍ୟତାମୂଳକ କରାଯାଇଛି।

ବିଦ୍ୟୁତ୍ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ସହ ଟ୍ରାନ୍ସଫର୍ମର ମରାମତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଜରୁରୀ ପରିସ୍ଥିତିରେ ଯୋଗାଯୋଗ ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର (ନମ୍ବର: ୦୬୬୪୫-୨୭୨୯୦୨) ଏବଂ ଜରୁରୀ ପ୍ରତିକ୍ରିୟା କେନ୍ଦ୍ର (୬୩୭୦୨-୦୮୮୪୨) କାର୍ଯ୍ୟ କରୁଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ୪୦୦୦ ପୋଷ୍ଟର ଓ ୧୫୦ ବ୍ୟାନର ବଣ୍ଟନ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done