ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । କାରଣ ଆଜି ହେଉଛି ଉତ୍କଳ ଦିବସ । ଏବଂ ୮୮ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାକୁ ମିଳିଥିଲା ଭାଷାଭିତ୍ତିକ ରାଜ୍ୟର ମାନ୍ୟତା । ଏହି ମହାସମାରୋହରେ ସାରା ରାଜ୍ୟ ପାଳନ କରୁଛି ଉତ୍କଳ ଦିବସ । ଷୋଡ଼ଶ ଶତାବ୍ଦୀର ଦ୍ବିତୀୟାଦ୍ଧରୁ ଓଡ଼ିଶା ରାଜନୈତିକ ବିପର୍ଯ୍ୟୟ ଦେଇ ଗତି କରିଆସୁଥିଲା । ଏହା ସତ୍ତ୍ବେ ଓଡ଼ିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା ଭାଷା-ସଂସ୍କୃତି ଏକ ବିଶାଳ ଭୂଖଣ୍ଡରେ ତିଷ୍ଠି ରହିଥିଲା । କିନ୍ତୁ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା । ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆ ଜାତି କ୍ରମେ ବହୁ ବାଧାବିଘ୍ନ, ଘଟଣା ଦୁର୍ଘଟଣା ଦେଇ ଗତି କରିଥିଲା । ଓଡ଼ିଶାର ସ୍କୁଲମାନଙ୍କରୁ ଓଡ଼ିଆ ଭାଷାକୁ ଉଠାଇଦେଇ ବଙ୍ଗଳା ଭାଷାର ପ୍ରବର୍ତ୍ତନ ଦ୍ବାରା ଓଡ଼ିଶାକୁ ଧୀରେ ଧୀରେ ବଙ୍ଗ ପ୍ରଦେଶରେ ସାମିଲ କରିବାର ବିରାଟ ଚକ୍ରାନ୍ତ ମଧ୍ୟ ହୋଇଥିଲା । ସେହିପରି ତେଲୁଗୁମାନେ ଦକ୍ଷିଣ ଓଡ଼ିଶାରେ ଆଧୂପତ୍ୟ ବିସ୍ତାର ପାଇଁ ମସୁଧା କରିଥିଲେ । ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ଯ୍ୟ ଓ ଶିକ୍ଷାର ମାଧ୍ଯମ କରାଯାଇଥିଲା । ହେଲେ ଓଡ଼ିଶାର ବୀର ପୁତ୍ରମାନେ ଏହାର ବିରୋଧରେ ଆଗକୁ ଆସିଥିଲେ । କବି, ଲେଖକ ମାନେ ତାଙ୍କ କଲମର ସ୍ୟାହିରେ ଓଡ଼ିଶାର ଲୋକଙ୍କୁ ଜାଗୃତ କରିଥିଲେ । ଏବେ ସରକାରଙ୍କୁ ମଧ୍ୟ ଦୋହଲାଇ ଦେଇଥିଲେ । ଓଡ଼ିଶାର ସ୍ଵତନ୍ତ୍ର ଭାଷାକୁ ମାନ୍ୟତା ଦେବା ପାଇଁ । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷାର ଲକ୍ଷ ନେଇ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ବହୁ ରାଜା , ଜମିଦାର ଓଡ଼ିଆ ଭାଷା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ । ଶେଷରେ ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ । ସମୟକ୍ରମେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା । ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ତାରିଖ ଦିନ ‘ଉତ୍କଳ ଦିବସ' ଭାବେ ପାଳନ କରାଯାଇ ଆସୁଛି ।
0 Comments