ଝାରସୁଗୁଡା ସମ୍ମିଳିତ ଆଦିବାସୀ ସମାଜ କୋଳାବିରା ବ୍ଲକ ସୋଡାମାଲ ଗ୍ରାମ ପଞ୍ଚାୟତ କମିଟିର ଏକ ସାଧାରଣ ସଭା ସ୍ଥାନୀୟ ଆଦିବାସୀ ବଗିଚା ସୋଡାମାଲଠାରେ ସଭାନେତ୍ରୀ ପଦ୍ମିନୀ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ମାଧବ ସିଂହ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରମୁଖ ସଚିବ ଅଶୋକ ମାଝୀ,ଉପଦେଷ୍ଟା ପ୍ରଭାକର ଓରାମ, ସମିତି ସଭ୍ୟା ନୀଲାନ୍ଦ୍ରୀ କାଲୋ, ଉପସଭାପତି କଷ୍ଟୁ ପିଙ୍ଗ, ଡମ୍ବରୁଧର ନାଏକ, ସଚିବ ରାଜେଶ ନେଟୀ ଯୋଗ ଦେଇଥିଲେ। ସଭାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ଲାଗୁ ହେବାକୁ ଥିବା ସମାନ ନାଗରିକ ସଂହିତା ଉପରେ ଚର୍ଚ୍ଚା ହୋଇଥିଲା। ସମାନ ନାଗରିକ ସଂହିତା କହୁଛି ଯେ ଦେଶର ସମସ୍ତ ନାଗରିକ ପାଇଁ ଗୋଟିଏ ନିୟମ ନିଶ୍ଚିତ କରିବା ଯାହା ସମସ୍ତ ଧାର୍ମିକ ଓ ଆଦିବାସୀ ସଂପ୍ରଦାୟ ପାଇଁ ସେମାନଙ୍କ ବ୍ୟକ୍ତିଗତ ପ୍ରସଂଗରେ ପ୍ରଜୁର୍ଯ୍ୟ ହେବ ଯେପରିକି ସମ୍ପତ୍ତି, ବିବାହ, ଉତ୍ତରାଧିକାରୀ, ପୌଷ୍ୟସନ୍ତାନ ଇତ୍ୟାଦି। ଆଜିବି ଦେଶରେ ଅନେକ ଆଦିବାସୀ ସଂପ୍ରଦାୟ ଅଛନ୍ତି ଯେଉଁମାନେ ଜଙ୍ଗଲ ଏବଂ ପର୍ବତରେ ବସବାସ କରି ତାଙ୍କ ଜୀବନ ବିତାଉଛନ୍ତି। ତାଙ୍କର ଭାଷା, ସଂସ୍କୃତି, ରୀତିନୀତି, ଚାଲିଚଳଣୀ, ପର୍ବପର୍ବାଣି ଭିନ୍ନ। ସେମାନେ ସମାଜର ମୂଖ୍ୟ ସ୍ରୋତ ଠାରୁ ଦୂରରେ ରହି ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ପଛୁଆରେ ରହିଛନ୍ତି। ସମ୍ବିଧାନରେ ଏହି ସଂପ୍ରଦାୟ ଗୁଡିକୁ ଆଦିବାସୀ ବା ଅନୁସୁଚିତ ଜନଜାତି ଭାବରେ ବିବେଚନା କରି ସେମାନଙ୍କୁ କିଛି ବିଶେଷ ଅଧିକାର ଦିଆଯାଇଛି। ଯେତେବେଳେ ସମାନ ନାଗରିକ ସଂହିତା ଭଳି ଏକଚାଟିଆ ନିୟମ ଜବରଦସ୍ତି ଲଦି ଦିଆଯାଉଛି ସେତେବେଳେ ଭାରତରେ ଥିବା ଅନୁସୁଚିତ ଜନଜାତି, ଅନୁସୁଚିତ ଜାତି, ମୁସଲମାନ ଓ ବୁଦ୍ଧିଷ୍ଟ ମାନଙ୍କ ସ୍ୱତନ୍ତ୍ର ସଂସ୍କୃତି, ପରମ୍ପରା, ରୀତିନୀତି, ପର୍ବପର୍ବାଣି ଉପରେ କୁଠାରଘାତ ହେଉଛି। ଯେତେବେଳେ ସୁପ୍ରିମକୋର୍ଟ କହୁଛି ଯେ ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ଏବଂ ଆଦିବାସୀଙ୍କ ପ୍ରଥା ଜନ୍ମ, ବିବାହ, ମୃତ୍ୟୁ ରୀତିନୀତି ସଂପୂର୍ଣ୍ଣ ଭିନ୍ନ ଅଟେ। ତେବେ କେଉଁ ଆଧାରରେ ସମାନ ନାଗରିକ ସଂହିତା ହିନ୍ଦୁ ଧର୍ମ ସହ ଯୋଡି ଆଦିବାସୀଙ୍କ ଉପରେ ଲଦିଦିଆଯିବ ବୋଲି ସମ୍ମିଳିତ ଆଦିବାସୀ ସମାଜ ପ୍ରଶ୍ନ କରିଛି। ସମ୍ବିଧାନର ଅନୁଚ୍ଛେଦ ୨୪୪(୧) ଆଧାରରେ ଅନୁସୁଚିତ କ୍ଷେତ୍ର ଓ ଅନୁସୁଚିତ ଜନଜାତିଙ୍କ ପ୍ରଶାସନ ଓ ନିୟନ୍ତ୍ରଣ ଉପରେ ବିସ୍ତୃତ ଭାବରେ ଜମି ଓ ସମ୍ପତ୍ତିର ଅଧିକାର ଦେଉଛି। ଏହାବ୍ୟତୀତ ଧାରା ୧୫ ଓ ୧୬ ସେମାନଙ୍କ ସହିତ କୌଣସି ପ୍ରକାର ଭେଦଭାବ ନିଷିଦ୍ଧ କରିବା ଏବଂ ସାଧାରଣ ଚାକିରୀ କ୍ଷେତ୍ରରେ ସୁଯୋଗର ସମାନତା ପ୍ରଦାନ ବିଷୟରେ ଆଲୋଚନା କରେ ଓ ଅନୁଚ୍ଛେଦ ୧୯(୫)ରେ ଅନୁସୁଚିତ ଜନଜାତିଙ୍କ ସୁରକ୍ଷିତ ବିଷୟରେ ସୂଚିତ କରୁଛି। ତେବେ ଆଦିବାସୀଙ୍କ ସ୍ୱତନ୍ତ୍ରତା ଓ ସ୍ବାଧୀନତା ଉପରେ ସମାନ ନାଗରିକ ସଂହିତା ଅଙ୍କୁଶ ଲଗାଇ ତାଙ୍କ ପରମ୍ପରାକୁ ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ରକୁ ସମ୍ମିଳିତ ଆଦିବାସୀ ସମାଜ ଦୃଢ଼ ବିରୋଧ କରିବ ଏବଂ ଆସନ୍ତା ୯ ଅଗଷ୍ଟ ବିଶ୍ବ ଆଦିବାସୀ ଦିବସକୁ ମହା ଜାଗଜମକରେ ପାଳନ କରାଯିବ ବୋଲି ନିଷ୍ପତ୍ତି ହେଲା। ଏହି ସଭାକୁ ଜିଲ୍ଲା ଉପସଭାପତି ପ୍ରେମସାଗର ଧୁରୁଆ ପରିଚାଳନା କରିଥିବା ବେଳେ ଉପସଭାପତି ଦିଲିପ ଲୁହା, ତ୍ରିଲୋଚନ ଡନସନା, ରସାନନ୍ଦ କିସାନ, ପ୍ରୋଜେକ୍ଟ ଲୀଡର ତପନ କାଲୋ, ଜୟମଙ୍ଗଲ ଲୁହା, ଶୋଭାକର ମାଝୀ,ଚନ୍ଦ୍ରକାନ୍ତ ମାଝୀ, ରମେଶ ବୁଦୁଲା, ରାଜେନ୍ଦ୍ର କିସାନ, କମଲ କାଲୋ, ବିଷ୍ଣୁ କିସାନ, ବିନୋଦ ଧୁରୁଆ, ମୋଗଲ ପ୍ରଧାନ,କେତକୀ ଭୋଇ, ଦୁର୍ମି ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
0 Comments